ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ, ୧୬ରେ ବାତ୍ୟା ଆଶଙ୍କା! ସମ୍ଭାବ୍ୟ ବାତ୍ୟାର ନାଁ ‘ଅକବାନ୍’, ସବୁ ଜିଲ୍ଲାପାଳଙ୍କୁ SRCଙ୍କ ଆଲର୍ଟ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକୁ ନେଇ ଓଡ଼ିଶାରେ ବଢ଼ିଛି ବାତ୍ୟା ଆଶଙ୍କା। କ୍ରମଶଃ ଘନୀଭୂତ ହେଉଥିବା ଏହି ଲଘୁଚାପ ଆଗାମୀ ଦିନରେ ଅଧିକ ଶକ୍ତିଶାଳୀ ହୋଇପାରେ। ପାଣିପାଗ ବିଭାଗର ପ୍ରାଥମିକ ଆକଳନ ଅନୁଯାୟୀ, ଆସନ୍ତା ୧୪ ତାରିଖ ସୁଦ୍ଧା ଏହା ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ। ପରେ ୧୫ ତାରିଖ ସକାଳ ସୁଦ୍ଧା ଅବପାତ ଏବଂ ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି।

ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ, ତେବେ ଏହାର ନାମ ‘ଅକବାନ୍’ (Akvan) ରଖାଯିବ। ଏହି ନାମ ଇରାନ ପକ୍ଷରୁ ପ୍ରସ୍ତାବିତ ହୋଇଛି। ତେବେ ବର୍ତ୍ତମାନ ଏହା ଏକ ସମ୍ଭାବ୍ୟ ବାତ୍ୟା ମାତ୍ର। ଏହାର ତୀବ୍ରତା, ଗତିପଥ ଓ ସମ୍ଭାବ୍ୟ ସ୍ଥଳଭାଗ ଛୁଇଁବା ସ୍ଥାନ ସମ୍ପର୍କରେ ଏଯାଏଁ ସ୍ପଷ୍ଟ ଆକଳନ ହୋଇନାହିଁ।

 କେଉଁ ଜିଲ୍ଲାରେ କେମିତି ରହିବ ପାଗ?

ପାଣିପାଗ ବିଭାଗର ଆକଳନ ଅନୁସାରେ, ନଭେମ୍ବର ୧୩ରୁ ୧୭ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିପାରେ। ତେବେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଏବଂ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିପାରେ।

ସେହିପରି କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ପୁରୀ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ମଧ୍ୟ ବର୍ଷାର ସମ୍ଭାବନା ରହିଛି। ତେଣୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଲୋକଙ୍କୁ ପାଣିପାଗ ସମ୍ପର୍କିତ ସତର୍କ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

 ୬୫ କିମି ବେଗରେ ବହିପାରେ ଝଟକା ପବନ

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ସମ୍ଭାବ୍ୟ ବାତ୍ୟାଟି କେଉଁ ଉପକୂଳ ଆଡ଼କୁ ମୁହାଁଇବ, ସେନେଇ ଏବେଠାରୁ ସ୍ପଷ୍ଟ ଆକଳନ କରିବା ସମ୍ଭବ ନୁହେଁ। ଲଘୁଚାପ ଅବପାତରେ ପରିଣତ ହେବା ପରେ ଏହାର ଗତିପଥ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିବ।

ତେବେ ଆଗୁଆ ସତର୍କତା ସ୍ୱରୂପ ନଭେମ୍ବର ୧୭ ତାରିଖରେ ବିଶେଷକରି ଦକ୍ଷିଣ ଓଡ଼ିଶା ଉପକୂଳରେ ପାଗ ଖରାପ ରହିପାରେ। ଏହି ସମୟରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ କରାଯାଇଛି।

 ବାତ୍ୟା ମୁକାବିଲା ପାଇଁ ସନ୍ଧ୍ୟାରେ ଉଚ୍ଚସ୍ତରୀୟ ବୈଠକ

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ମଧ୍ୟ ତତ୍ପର ହୋଇପଡ଼ିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଭାରତୀୟ ପାଣିପାଗ ବିଭାଗ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀମାନେ ଯୋଗଦେବେ। ସମ୍ଭାବ୍ୟ ବାତ୍ୟାର ଗତିପଥ, ପ୍ରଭାବ ଏବଂ ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି ଉପରେ ଆଲୋଚନା ହେବ।

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, IMD ପକ୍ଷରୁ ଆସିଥିବା ରିପୋର୍ଟକୁ ସରକାର ଅଧ୍ୟୟନ କରୁଛନ୍ତି। ଅବପାତ ସୃଷ୍ଟି ହେବା ପରେ ଏହା କେଉଁ ଦିଗକୁ ଗତି କରିବ ଏବଂ କେଉଁ ଅଞ୍ଚଳରେ ପ୍ରଭାବ ପକାଇବ, ସେନେଇ ଅଧିକ ସ୍ପଷ୍ଟ ସୂଚନା ମିଳିବ। ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ଗତିପଥ ଓ ସମ୍ଭାବ୍ୟ ଲ୍ୟାଣ୍ଡଫଲ୍ ଅଞ୍ଚଳ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିପାରେ। ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଉପକୂଳ ଜିଲ୍ଲାଗୁଡ଼ିକୁ ଆଲର୍ଟ କରାଯାଇଛି ବୋଲି ସେ କହିଛନ୍ତି।

 କାହିଁକି ରଖାଯାଇଛି ବାତ୍ୟାର ନାମ ‘ଅକବାନ୍’?

ସମ୍ଭାବ୍ୟ ବାତ୍ୟାର ନାମକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଯଦି ଏହି ଲଘୁଚାପ ବାତ୍ୟାର ରୂପ ନିଏ, ତେବେ ଏହାର ନାମ ‘ଅକବାନ୍’ (Akvan) ରଖାଯିବ। ଏହି ନାମ ଇରାନ ପକ୍ଷରୁ ପ୍ରସ୍ତାବିତ। ଫାର୍ସୀ ଭାଷାରେ ଏହି ଶବ୍ଦର ଅର୍ଥ ଦୁଷ୍ଟ ଚିନ୍ତାଧାରା, ଖରାପ ମନ କିମ୍ବା ରାକ୍ଷସ ସହ ଜଡ଼ିତ ବୋଲି କୁହାଯାଏ।

ସବୁ ଜିଲ୍ଲାପାଳଙ୍କୁ SRCଙ୍କ ସତର୍କ ସୂଚନା

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ପରେ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC)ଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଆଲର୍ଟ ଜାରି କରାଯାଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ରଖିବାକୁ ସମସ୍ତ ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ଆରଡିସି ଏବଂ ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କୁ ପରାମର୍ଶ ଦିଆଯାଇଛି।

ବାତ୍ୟାର ପ୍ରକୃତ ଗତିପଥ ଓ ପ୍ରଭାବ ନେଇ ଚୂଡ଼ାନ୍ତ ଆକଳନ ଆସିବାକୁ ଥିବାବେଳେ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ ଏହି ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ କେତେ ପ୍ରଭାବ ପକାଇବ, ତାହା ଆଗାମୀ ପାଣିପାଗ ଅପଡେଟ୍ ପରେ ସ୍ପଷ୍ଟ ହେବ। ତେଣୁ ଲୋକମାନେ ଭୟଭୀତ ନହୋଇ ପାଣିପାଗ ବିଭାଗ ଓ ସରକାରୀ ପ୍ରଶାସନର ଅଧିକାରିକ ସୂଚନା ଅନୁସରଣ କରନ୍ତୁ।