ବଙ୍ଗୋପସାଗରରେ ଲଘୁଚାପ, ୧୫ରେ ଅବପାତ ଆଶଙ୍କା! ଓଡ଼ିଶାକୁ ନାହିଁ ବର୍ଷା ଭୟ
ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବାକୁ ଯାଉଛି ଲଘୁଚାପ କ୍ଷେତ୍ର। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ଏବେ ପାଣିପାଗ ବିଭାଗର ନଜରରେ ରହିଛି। ଏହାର ପ୍ରଭାବରେ ନଭେମ୍ବର ୧୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ଲଘୁଚାପ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ନଭେମ୍ବର ୧୪ ସୁଦ୍ଧା ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇପାରେ। ଏହାପରେ ନଭେମ୍ବର ୧୫ ତାରିଖ ବେଳକୁ ଅବପାତର ରୂପ ନେବାର ଆଶଙ୍କା ରହିଛି।
ତେବେ ଏହି ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ବିଶେଷ ଭାବେ ପଡ଼ିବାର ଆଶଙ୍କା ନାହିଁ। ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ହେଉଛି, ଆଗାମୀ ୭ ଦିନ ମଧ୍ୟରେ ବଡ଼ ବର୍ଷାର ସମ୍ଭାବନା ନାହିଁ। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ, ନଭେମ୍ବର ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ସାରା ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏହି ସମୟରେ କୌଣସି ଜିଲ୍ଲା ପାଇଁ ବର୍ଷାଜନିତ ସତର୍କ ସୂଚନା ମଧ୍ୟ ଜାରି ହୋଇନାହିଁ।
ଅନ୍ୟପଟେ, ରାଜ୍ୟରେ ଶୀତ ସହ କୁହୁଡ଼ିର ପ୍ରଭାବ ମଧ୍ୟ ଦେଖିବାକୁ ମିଳିପାରେ। ୧୩ଟି ଜିଲ୍ଲାର କିଛି ସ୍ଥାନରେ ସକାଳ ସମୟରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।
ଏହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, କନ୍ଧମାଳ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ ଓ ଢେଙ୍କାନାଳ।
ତେଣୁ ବଙ୍ଗୋପସାଗରରେ ଲଘୁଚାପ ଓ ଅବପାତ ଆଶଙ୍କା ରହିଥିଲେ ମଧ୍ୟ ଓଡ଼ିଶାରେ ଏବେ ବଡ଼ ବର୍ଷାର ଭୟ ନାହିଁ। ଆଗାମୀ କିଛି ଦିନ ରାଜ୍ୟରେ ଶୁଖିଲା ପାଗ ସହ ସକାଳୁ କୁହୁଡ଼ି ଦେଖାଦେବାର ସମ୍ଭାବନା ରହିଛି।




