ଓଡ଼ିଶାରେ ବଢ଼ିଲା ବସ୍ ଭଡ଼ା, ସାଧାରଣରୁ ସୁପର ପ୍ରିମିୟମ୍ ପର୍ଯ୍ୟନ୍ତ ନୂଆ ଦର ଧାର୍ଯ୍ୟ

କଟକ: ଓଡ଼ିଶାରେ ବସ୍‌ ଯାତ୍ରା ଏବେ ଆହୁରି ମହଙ୍ଗା ହେବ। ରାଜ୍ୟ ସରକାର ବସ୍‌ ଭଡ଼ାରେ ସଂଶୋଧନ କରି ବିଭିନ୍ନ ବର୍ଗର ବସ୍‌ ପାଇଁ ନୂଆ ଦର ଧାର୍ଯ୍ୟ କରିଛନ୍ତି। ସାଧାରଣ ବସ୍‌ଠାରୁ ଆରମ୍ଭ କରି ଏକ୍ସପ୍ରେସ୍‌, ସେମି ଡିଲକ୍ସ, ଡିଲକ୍ସ, ଏସି ଡିଲକ୍ସ ଏବଂ ସୁପର ପ୍ରିମିୟମ୍ ବସ୍‌ ପର୍ଯ୍ୟନ୍ତ ସବୁ ବର୍ଗର ବସ୍‌ ପାଇଁ କିଲୋମିଟର ପିଛା ନୂଆ ଭଡ଼ା ନିର୍ଦ୍ଧାରଣ ହୋଇଛି। ଏନେଇ ନଭେମ୍ବର ୧୨ ତାରିଖରେ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ନୂଆ ଭଡ଼ା ଅନୁଯାୟୀ, ସାଧାରଣ ବସ୍‌ରେ କିଲୋମିଟର ପିଛା ୧ ଟଙ୍କା ୧୮ ପଇସା ଦେବାକୁ ପଡ଼ିବ। ସେହିପରି ଏକ୍ସପ୍ରେସ୍‌ ବସ୍‌ ପାଇଁ ୧ ଟଙ୍କା ୨୪ ପଇସା, ସେମି ଡିଲକ୍ସ ବସ୍‌ ପାଇଁ ୧ ଟଙ୍କା ୩୦ ପଇସା ଏବଂ ଡିଲକ୍ସ ବସ୍‌ ପାଇଁ ୧ ଟଙ୍କା ୪୧ ପଇସା ଭଡ଼ା ଧାର୍ଯ୍ୟ କରାଯାଇଛି।

ଅନ୍ୟପଟେ ଏସି ଡିଲକ୍ସ ବସ୍‌ରେ କିଲୋମିଟର ପିଛା ୧ ଟଙ୍କା ୯୯ ପଇସା ଦେବାକୁ ହେବ। ସୁପର ପ୍ରିମିୟମ୍ ବସ୍‌ ପାଇଁ ୩ ଟଙ୍କା ୨୧ ପଇସା ଏବଂ ସୁପର ପ୍ରିମିୟମ୍ ଫୁଲ୍ ସ୍ଲିପର୍ ଏସି କୋଚ୍‌ ପାଇଁ କିଲୋମିଟର ପିଛା ୪ ଟଙ୍କା ୬୧ ପଇସା ଭଡ଼ା ନିର୍ଦ୍ଧାରଣ ହୋଇଛି। ଫୁଲ୍ ସ୍ଲିପର୍ ଏସି ବସ୍‌ରେ ଏହି ଭଡ଼ା ପ୍ରତି ଯାତ୍ରୀଙ୍କ ବର୍ଥ ହିସାବରେ ଲାଗୁ ହେବ।

କେଉଁ ବର୍ଗର ଯାତ୍ରୀଙ୍କୁ ମିଳିବ ଭଡ଼ା ଛାଡ଼?

ବସ୍‌ ଭଡ଼ା ବୃଦ୍ଧି ସହିତ କିଛି ନିର୍ଦ୍ଦିଷ୍ଟ ବର୍ଗର ଯାତ୍ରୀଙ୍କ ପାଇଁ ରିହାତି ବ୍ୟବସ୍ଥା ମଧ୍ୟ ରହିଛି। ଏଚ୍‌ଆଇଭି/ଏଡ୍‌ସ ଆକ୍ରାନ୍ତ ଯାତ୍ରୀଙ୍କୁ ୧୦୦ ପ୍ରତିଶତ ଭଡ଼ା ଛାଡ଼ ମିଳିବ। ସମ୍ପୂର୍ଣ୍ଣ ଦୃଷ୍ଟିହୀନ ଯାତ୍ରୀଙ୍କ ପାଇଁ ଶତପ୍ରତିଶତ ଏବଂ ସେମାନଙ୍କ ସହ ଯାଉଥିବା ସହଯୋଗୀଙ୍କ ପାଇଁ ୫୦ ପ୍ରତିଶତ ରିହାତି ରହିଛି।

ସେହିପରି ମାନସିକ ଭିନ୍ନକ୍ଷମ ଯାତ୍ରୀଙ୍କୁ ୧୦୦ ପ୍ରତିଶତ ଏବଂ ସହଯୋଗୀଙ୍କୁ ୫୦ ପ୍ରତିଶତ ଭଡ଼ା ଛାଡ଼ ମିଳିବ। ୫୦ରୁ ୧୦୦ ପ୍ରତିଶତ ଶାରୀରିକ ଅକ୍ଷମତା ଥିବା ଯାତ୍ରୀଙ୍କୁ ଶତପ୍ରତିଶତ ଏବଂ ସହଯୋଗୀଙ୍କୁ ୫୦ ପ୍ରତିଶତ ରିହାତି ଦିଆଯିବ। ଏହାଛଡ଼ା ୪୦ରୁ ୪୯ ପ୍ରତିଶତ ଶାରୀରିକ ଅକ୍ଷମତା ଥିବା ଯାତ୍ରୀଙ୍କୁ ୫୦ ପ୍ରତିଶତ ଏବଂ ମୂକ-ବଧିର ଯାତ୍ରୀଙ୍କୁ ୧୦୦ ପ୍ରତିଶତ ଭଡ଼ା ଛାଡ଼ ମିଳିବ।

ଏହି ରିହାତି ସୁବିଧା ସରକାରୀ ଓ ଘରୋଇ ଉଭୟ ବସ୍‌ରେ ଉପଲବ୍ଧ ହେବ। ତେବେ ରିହାତି ପାଇବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ଦ୍ୱାରା ଜାରି ପରିଚୟପତ୍ର କିମ୍ବା ଆବଶ୍ୟକୀୟ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ।

 ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍ ମାଗଣା

ବସ୍‌ ଯାତ୍ରୀଙ୍କ ଲଗେଜ୍‌କୁ ନେଇ ମଧ୍ୟ ନିୟମ ଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ଯାତ୍ରୀ ୧୫ କିଲୋଗ୍ରାମ ପର୍ଯ୍ୟନ୍ତ ଲଗେଜ୍‌ ମାଗଣାରେ ନେଇପାରିବେ। କିନ୍ତୁ ଏହାଠାରୁ ଅଧିକ ଓଜନର ଜିନିଷ ନେଲେ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ। ନିୟମ ଅନୁଯାୟୀ, ପ୍ରତି ୨୦ କିଲୋଗ୍ରାମ ଓଜନ ଏବଂ ପ୍ରତି କିଲୋମିଟର ପିଛା ୭ ପଇସା ହିସାବରେ ଲଗେଜ୍‌ ଶୁଳ୍କ ଆଦାୟ କରାଯିବ।

 ପ୍ରତ୍ୟେକ ବସ୍‌ରେ ଲାଗିବ ନୂଆ ଭଡ଼ା ଚାର୍ଟ

ଯାତ୍ରୀମାନେ ଯେପରି ନିର୍ଦ୍ଧାରିତ ଭଡ଼ା ସମ୍ପର୍କରେ ସ୍ପଷ୍ଟ ସୂଚନା ପାଇପାରିବେ, ସେଥିପାଇଁ ସମସ୍ତ ବସ୍‌ରେ ନୂଆ ଭଡ଼ା ତାଲିକା ଲଗାଇବାକୁ ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି। କେଉଁ ବର୍ଗର ବସ୍‌ରେ କିଲୋମିଟର ପିଛା କେତେ ଭଡ଼ା ରହିଛି ଏବଂ କେଉଁ ଯାତ୍ରୀଙ୍କୁ କେତେ ରିହାତି ମିଳିବ, ସେ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ହେବ।

ଏଥିସହ ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ଆଦାୟ ନକରିବାକୁ ବସ୍‌ ମାଲିକ ଓ ଅପରେଟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାତ୍ରୀଙ୍କ ସୁବିଧା ଓ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏହି ନିୟମ ପାଳନ କରିବାକୁ କୁହାଯାଇଛି।

ତେବେ ନୂଆ ଭଡ଼ା ଲାଗୁ ହେବା ପରେ ଦୈନନ୍ଦିନ ବସ୍‌ ଯାତ୍ରା କରୁଥିବା ସାଧାରଣ ଯାତ୍ରୀଙ୍କ ଖର୍ଚ୍ଚ ବଢ଼ିବା ନିଶ୍ଚିତ। ଏହି ନୂଆ ଭଡ଼ା ତାଲିକା ଅନୁଯାୟୀ ଯାତ୍ରୀମାନେ ନିଜ ଯାତ୍ରା ଖର୍ଚ୍ଚର ହିସାବ କରିପାରିବେ।