ବାଲିଯାତ୍ରା ପଡ଼ିଆରେ ପାରାଦୀପ ବନ୍ଦରର ନିର୍ମାଣ ଓ ବିକାଶରେ ଅବଦାନ ରଖିଥିବା ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରୁ ଏବଂ ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ଫଟୋ, ପୋଷ୍ଟର କିମ୍ବା ବ୍ୟାନର ଦେଖିବାକୁ ମିଳୁନଥିବା ନେଇ ଉଠିଛି ଅଭିଯୋଗ। ଗତ ଦୁଇ ବର୍ଷ ଧରି ଏହି ମହାନ ବ୍ୟକ୍ତିତ୍ୱଙ୍କ ଅବଦାନକୁ ବାଲିଯାତ୍ରା ପରିସରରେ ସ୍ଥାନ ଦିଆଯାଉନଥିବା ଅଭିଯୋଗ କରିଛି କଳିଙ୍ଗ ମହିଳା ଶକ୍ତି।
ଏହି ପ୍ରସଙ୍ଗକୁ ନେଇ ସଂଗଠନର ସଭାପତି ମନୋରମା ଖଟୁଆ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଜଗତସିଂହପୁର ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗପତ୍ର ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଯେପରି ଗଛର ଫୁଲ ଓ ଫଳକୁ ଦେଖି ତାହାର ମୂଳକୁ ଭୁଲିହେବ ନାହିଁ, ସେହିପରି ପାରାଦୀପର ଇତିହାସ ଓ ଏହାର ନିର୍ମାତାମାନଙ୍କ ଅବଦାନକୁ ମଧ୍ୟ ଭୁଲିବା ଉଚିତ ନୁହେଁ।
କଳିଙ୍ଗ ବାଲିଯାତ୍ରାରେ ପ୍ରତିବର୍ଷ ହଜାର ହଜାର ଲୋକଙ୍କ ସମାଗମ ହେଉଥିବାବେଳେ, ଏହି ଅବସରରେ ପାରାଦୀପ ବନ୍ଦରର ସୃଷ୍ଟି, ବିକାଶ ଓ ସଂଘର୍ଷର ଇତିହାସ ନୂତନ ପିଢ଼ିଙ୍କୁ ଜଣାଇବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ଏଥିପାଇଁ ବାଲିଯାତ୍ରା ପରିସରରେ ନେହୁରୁ ଓ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ଦର୍ଶାଉଥିବା ଫଟୋ, ପୋଷ୍ଟର ଓ ବ୍ୟାନର ସ୍ଥାନ ପାଇବାକୁ ଦାବି ହୋଇଛି।
ଏହି ଦାବି ପ୍ରତି ରାଜ୍ୟ ସରକାର, ସଂସ୍କୃତି ବିଭାଗ, ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ ଜନପ୍ରତିନିଧିମାନେ ଦୃଷ୍ଟି ଦେବାକୁ କଳିଙ୍ଗ ମହିଳା ଶକ୍ତି ଅନୁରୋଧ କରିଛି। ନଚେତ୍ ଆଗାମୀ ପିଢ଼ି ପାରାଦୀପର ଇତିହାସ ଓ ଏହାର ନିର୍ମାଣରେ ଅବଦାନ ରଖିଥିବା ମହାନ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଅବଗତ ହେବାରୁ ବଞ୍ଚିତ ହୋଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି।




