ମୃତକ ଦୁଇଜଣ ହେଉଛନ୍ତି ୪୮ ବର୍ଷୀୟ ଜେନି ବାଲକାର୍ସ ଏବଂ ତାଙ୍କ ୨୦ ବର୍ଷୀୟ ଝିଅ ସେଲା ରିଡ୍। ଭାନକୁଭରଠାରୁ ପ୍ରାୟ ୧,୦୦୦ କିଲୋମିଟର ଉତ୍ତରରେ ଥିବା ଏକ ଦୁର୍ଗମ ଅଞ୍ଚଳ ନିକଟରେ ଉଭୟଙ୍କ ମୃତଦେହ ମିଳିଥିଲା। ଦୁଇଟି ମୃତଦେହ ମଧ୍ୟରେ ପ୍ରାୟ ୧୫୦ ମିଟର ଦୂରତା ରହିଥିଲା। ଶନିବାର ରାତିରେ ସେଲା ନିଜ ଭଉଣୀଙ୍କୁ ଫୋନ୍ ନ କରିବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। କାରଣ ଉଭୟଙ୍କ ମଧ୍ୟରେ ପ୍ରତିଦିନ କଥାବାର୍ତ୍ତା ହେଉଥିଲା। ଏହାପରେ ଆରମ୍ଭ ହୋଇଥିଲା ଖୋଜାଖୋଜି। ପ୍ରଥମେ ମା’ ଜେନିଙ୍କ ମୃତଦେହ ମିଳିଥିବାବେଳେ ପରେ ଏକ ଭାଲୁର ଖାଦ୍ୟ ସଂରକ୍ଷଣ ସ୍ଥାନ ନିକଟରୁ ଝିଅ ସେଲାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।
ଘଟଣାର ତଦନ୍ତ ପରେ ଡିଏନଏ ପରୀକ୍ଷା ମାଧ୍ୟମରେ ଆକ୍ରମଣରେ ସମ୍ପୃକ୍ତ ଭାଲୁମାନଙ୍କୁ ଚିହ୍ନଟ କରାଯାଇଥିଲା। ବ୍ରିଟିଶ କଲମ୍ବିଆ ସଂରକ୍ଷଣ ଅଧିକାରୀ ସେବାର ଇନ୍ସପେକ୍ଟର ଜେଫ୍ ଟାୟାରଙ୍କ କହିବା ଅନୁଯାୟୀ, ମାଈ ଗ୍ରିଜଲି ଭାଲୁ ଏବଂ ତା’ର ତିନିଟି ଶାବକ ଏହି ଦୁଇ ମହିଳାଙ୍କ ମୃତ୍ୟୁ ପାଇଁ ଦାୟୀ ଥିଲେ। ଏହି ଭାଲୁମାନଙ୍କୁ ପୁନର୍ବାସ କିମ୍ବା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ସମ୍ଭବ ନଥିଲା। ତେଣୁ ଜନସାଧାରଣଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ହତ୍ୟା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।
ବିଶେଷଜ୍ଞଙ୍କ ମତରେ, ଶୀତକାଳୀନ ଶୀତନିଦ୍ରା ପୂର୍ବରୁ ଗ୍ରିଜଲି ଭାଲୁମାନେ ନିଜ ଶରୀରରେ ଚର୍ବି ସଞ୍ଚୟ କରିବା ପାଇଁ ଅଧିକ ଖାଦ୍ୟ ଖୋଜିଥାନ୍ତି। ଏହି ସମୟରେ ଖାଦ୍ୟ ପାଇଁ ସେମାନଙ୍କ ମଧ୍ୟରେ ଆକ୍ରମଣାତ୍ମକ ପ୍ରବୃତ୍ତି ବଢ଼ିପାରେ। ଏହା ପୂର୍ବରୁ ଗତ ନଭେମ୍ବରରେ ସେହି ଅଞ୍ଚଳର ଏକ ସ୍କୁଲ ଗୋଷ୍ଠୀ ଉପରେ ମଧ୍ୟ ଭାଲୁ ଆକ୍ରମଣ କରିଥିଲା। ଏହି ଘଟଣାରେ ପିଲାଙ୍କ ସମେତ ୧୧ ଜଣ ଆହତ ହୋଇଥିଲେ। ତେବେ ସେହି ଆକ୍ରମଣରେ ବର୍ତ୍ତମାନ ଚିହ୍ନଟ ହୋଇଥିବା ଚାରିଟି ଭାଲୁ ସାମିଲ ନଥିଲେ ବୋଲି ଅଧିକାରୀ ସ୍ପଷ୍ଟ କରିଛନ୍ତି।
ଏହି ଘଟଣା ପୁଣିଥରେ ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ବଢ଼ୁଥିବା ସଂଘର୍ଷ ଏବଂ ଜଙ୍ଗଲ ଅଞ୍ଚଳରେ ମଣିଷଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ବିଶେଷକରି ଗ୍ରିଜଲି ଭାଲୁ ରହୁଥିବା ଦୁର୍ଗମ ଅଞ୍ଚଳକୁ ଯାଉଥିବା ଲୋକମାନେ ସତର୍କ ରହିବା ସହ ବନ୍ୟପ୍ରାଣୀଙ୍କଠାରୁ ସୁରକ୍ଷିତ ଦୂରତା ବଜାୟ ରଖିବା ଜରୁରୀ। ଦୁଇ ମହିଳାଙ୍କ ମୃତ୍ୟୁ ଏବଂ ଚାରିଟି ଗ୍ରିଜଲି ଭାଲୁଙ୍କୁ ହତ୍ୟା କରାଯିବା ଘଟଣା କାନାଡାରେ ବନ୍ୟପ୍ରାଣୀ ସୁରକ୍ଷା ଓ ଜନସାଧାରଣଙ୍କ ସୁରକ୍ଷା ମଧ୍ୟରେ ଥିବା ଜଟିଳ ସନ୍ତୁଳନକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।




