ଗ୍ରୀନ୍ ପାସେଜ୍ ସ୍କିମ୍‌: ଅନାଥ ଓ ଅସହାୟ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ କରିବେ ସରକାର

ଭୁବନେଶ୍ୱର: ବାପା-ମାଆଙ୍କ ଛାୟା ନାହିଁ, ମୁଣ୍ଡ ଉପରେ ଅଭିଭାବକଙ୍କ ହାତ ନାହିଁ। ଆର୍ଥିକ ଅନଟନ ଯୋଗୁଁ ଅନେକ ପିଲାଙ୍କ ପାଇଁ ଉଚ୍ଚଶିକ୍ଷା ଏକ ଅଧୁରା ସ୍ୱପ୍ନ ପାଲଟିଯାଏ। ପାଠପଢ଼ିବାକୁ ଇଚ୍ଛା ଥିଲେ ମଧ୍ୟ ଅର୍ଥାଭାବ ଯୋଗୁଁ ଅନେକ ମେଧାବୀ ଛାତ୍ରଛାତ୍ରୀ ନିଜର ଭବିଷ୍ୟତ ଗଢ଼ିବାରୁ ବଞ୍ଚିତ ହୁଅନ୍ତି। କିନ୍ତୁ ଏଣିକି ଅଭିଭାବକଙ୍କ ଅନୁପସ୍ଥିତି କିମ୍ବା ଆର୍ଥିକ ଦୁର୍ବଳତା ଯୋଗୁଁ ଅନାଥ ଓ ଅସହାୟ ପିଲାଙ୍କ ଉଚ୍ଚଶିକ୍ଷାର ସ୍ୱପ୍ନ ଅଧାରେ ଅଟକିବ ନାହିଁ। ଏଭଳି ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଆଣିଛନ୍ତି ‘ଗ୍ରୀନ୍ ପାସେଜ୍ ସ୍କିମ୍’। ଏହି ଯୋଜନା ମାଧ୍ୟମରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗ୍ରହଣ ପାଇଁ ବିଭିନ୍ନ ଆର୍ଥିକ ସୁବିଧା ଯୋଗାଇ ଦିଆଯିବ।

ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଏହି ଯୋଜନା ଲାଗୁ କରିବା ନେଇ ପଦକ୍ଷେପ ନିଆଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯେଉଁ ପିଲାମାନେ ପରିବାରର ଆର୍ଥିକ ସହାୟତା କିମ୍ବା ଅଭିଭାବକଙ୍କ ଅଭାବରୁ ଉଚ୍ଚଶିକ୍ଷା ଗ୍ରହଣ କରିପାରୁନାହାନ୍ତି, ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦେବା।

କିଏ ପାଇପାରିବେ ଏହି ଯୋଜନାର ଲାଭ?

ଗ୍ରୀନ୍ ପାସେଜ୍ ସ୍କିମ୍‌ରେ କେଉଁମାନେ ସାମିଲ ହୋଇପାରିବେ, ତାହାକୁ ନେଇ ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ ପ୍ରଶ୍ନ ରହିଛି। ବିଭାଗର ବିଜ୍ଞପ୍ତି ଅନୁସାରେ, ଯେଉଁ ପିଲାମାନଙ୍କର ଜୈବିକ କିମ୍ବା ପୋଷ୍ୟ ପିତାମାତା ନାହାନ୍ତି, ଉଭୟ ବାପା-ମାଆଙ୍କୁ ହରାଇଥିବା ଛାତ୍ରଛାତ୍ରୀ ଏବଂ ପରିବାରର ଏକମାତ୍ର ରୋଜଗାରକ୍ଷମ ଅଭିଭାବକଙ୍କୁ ହରାଇଥିବା ପିଲାମାନେ ଏହି ଯୋଜନାର ସୁବିଧା ପାଇପାରିବେ। ଏଥିସହ ଅନାଥ ଆଶ୍ରମରେ ରହୁଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏହାର ଲାଭ ମିଳିବ। ତେବେ ଏହି ଯୋଜନାରେ ଆବେଦନ କରିବା ପାଇଁ ପରିବାରର ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଆବଶ୍ୟକ। ନିର୍ଦ୍ଧାରିତ ଯୋଗ୍ୟତା ପୂରଣ କରୁଥିବା ପିଲାମାନେ ଆବଶ୍ୟକ ପ୍ରମାଣପତ୍ର ଦାଖଲ କରି ଏହି ସୁବିଧା ପାଇପାରିବେ।

କେଉଁ କେଉଁ ପାଠ୍ୟକ୍ରମରେ ମିଳିବ ସୁବିଧା?

ଏହି ଯୋଜନା କେବଳ କଳା, ବିଜ୍ଞାନ କିମ୍ବା ବାଣିଜ୍ୟ ଭଳି ସାଧାରଣ ଶିକ୍ଷାରେ ସୀମିତ ନୁହେଁ। ଦ୍ୱାଦଶ ଶ୍ରେଣୀ ପରେ ଅତି କମ୍‌ରେ ଗୋଟିଏ ବର୍ଷର ଉଚ୍ଚଶିକ୍ଷା ପାଠ୍ୟକ୍ରମ ଗ୍ରହଣ କରୁଥିବା ଯୋଗ୍ୟ ଛାତ୍ରଛାତ୍ରୀ ଏହାର ଲାଭ ପାଇପାରିବେ। ସାଧାରଣ ଡିଗ୍ରୀ, ପ୍ରଫେସନାଲ୍ କୋର୍ସ ଓ ଟେକ୍ନିକାଲ୍ ଶିକ୍ଷା ସହ ବୈଷୟିକ ଶିକ୍ଷା ଅଧୀନରେ ଆସୁଥିବା ITI, ପଲିଟେକ୍ନିକ୍ ଓ ଡିପ୍ଲୋମା ଭଳି ପାଠ୍ୟକ୍ରମକୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଫଳରେ ଯେଉଁ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ସହ ବୈଷୟିକ ଓ ବୃତ୍ତିଗତ ତାଲିମ୍ ନେଇ ନିଜ ପାଇଁ ରୋଜଗାରର ବାଟ ଖୋଲିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏହି ଯୋଜନା ସହାୟକ ହେବ।

କେଉଁ କେଉଁ ଫି'ରେ ମିଳିବ ଛାଡ଼?

ଉଚ୍ଚଶିକ୍ଷା ସମୟରେ ନାମଲେଖା ଫି', ଟ୍ୟୁସନ୍ ଫି', ପରୀକ୍ଷା ଫି', ଲାବୋରେଟୋରୀ ଫି' ଓ ଲାଇବ୍ରେରୀ ଫି' ଭଳି ବିଭିନ୍ନ ଶୁଳ୍କ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଆର୍ଥିକ ବୋଝ ହୋଇଥାଏ। ବିଶେଷକରି ଅଭିଭାବକଙ୍କୁ ହରାଇଥିବା ପିଲାଙ୍କ ପାଇଁ ଏହି ଖର୍ଚ୍ଚ ବହନ କରିବା କଷ୍ଟକର ହୋଇପଡ଼େ। ଏହାକୁ ଦୃଷ୍ଟିରେ ରଖି ଗ୍ରୀନ୍ ପାସେଜ୍ ସ୍କିମ୍‌ରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏହିସବୁ ଶିକ୍ଷା ସମ୍ବନ୍ଧୀୟ ଫି'ରେ ଛାଡ଼ ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ଏହାଦ୍ୱାରା ଫି' ଦେବାର ଚିନ୍ତାରୁ ମୁକ୍ତ ହୋଇ ପିଲାମାନେ ନିଜ ପାଠପଢ଼ା ଓ ଭବିଷ୍ୟତ ଗଠନ ଉପରେ ଅଧିକ ଧ୍ୟାନ ଦେଇପାରିବେ।

ମାଗଣା ହଷ୍ଟେଲ୍ ଓ ଖାଦ୍ୟର ସୁବିଧା

କେବଳ ପାଠପଢ଼ା ଖର୍ଚ୍ଚ ନୁହେଁ, ଘରଠାରୁ ଦୂରରେ ରହି ଶିକ୍ଷା ଗ୍ରହଣ କରୁଥିବା ପିଲାଙ୍କ ରହିବା ଓ ଖାଇବା ସମସ୍ୟାକୁ ମଧ୍ୟ ଏହି ଯୋଜନାରେ ଗୁରୁତ୍ୱ ଦିଆଯାଇଛି। ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ମାଗଣା ହଷ୍ଟେଲ୍ ଓ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ତେବେ ହଷ୍ଟେଲ୍‌ରେ ନାମଲେଖା ଓ ଅନ୍ୟାନ୍ୟ ଅନୁଷ୍ଠାନିକ ଚାର୍ଜ ଏହି ସୁବିଧାରେ ସାମିଲ ନୁହେଁ। ଏହି ବ୍ୟବସ୍ଥା ଫଳରେ ଅନାଥ ଓ ଅସହାୟ ପିଲାମାନେ ନିଜ ରହିବା ଓ ଦୈନନ୍ଦିନ ଖାଦ୍ୟ ଖର୍ଚ୍ଚକୁ ନେଇ ଚିନ୍ତିତ ନହୋଇ ନିଜ ଶିକ୍ଷା ଜାରି ରଖିପାରିବେ।

କିପରି ମିଳିବ ଫି' ଛାଡ଼ର ସୁବିଧା?

ଯୋଜନାର ସୁବିଧା ପାଇବା ପାଇଁ ଛାତ୍ରଛାତ୍ରୀମାନେ ପ୍ରଥମେ ସମ୍ପୃକ୍ତ ସରକାରୀ ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇବାକୁ ପଡ଼ିବ। ଏହାପରେ ଯୋଗ୍ୟତା ସମ୍ପର୍କିତ ଆବଶ୍ୟକ ପ୍ରମାଣପତ୍ର ଦାଖଲ କଲେ ନିୟମ ଅନୁଯାୟୀ ଫି' ଛାଡ଼ର ସୁବିଧା ମିଳିପାରିବ। ସେହିପରି ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଯୋଗ୍ୟ ପିଲାଙ୍କୁ ମଧ୍ୟ ଫି' ଛାଡ଼ ମିଳିବ। ଏହି ବ୍ୟବସ୍ଥାରେ ଅନୁଷ୍ଠାନ ପକ୍ଷରୁ ଛାଡ଼ ଦିଆଯାଇଥିବା ଖର୍ଚ୍ଚ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନକୁ ପ୍ରଦାନ କରାଯିବ।

ଅନାଥ ପିଲାଙ୍କ ଭବିଷ୍ୟତ ପାଇଁ ବଡ଼ ପଦକ୍ଷେପ

ଗ୍ରୀନ୍ ପାସେଜ୍ ସ୍କିମ୍ କେବଳ ଏକ ଆର୍ଥିକ ସହାୟତା ଯୋଜନା ନୁହେଁ, ବରଂ ଅନାଥ ଓ ଅସହାୟ ପିଲାଙ୍କୁ ଶିକ୍ଷା ମାଧ୍ୟମରେ ଆତ୍ମନିର୍ଭରଶୀଳ କରିବାର ଏକ ପ୍ରୟାସ। ପରିବାରର ସହଯୋଗ ନଥିବା ସତ୍ତ୍ୱେ ଯେଉଁ ପିଲାମାନେ ଜୀବନରେ କିଛି କରିବାର ସ୍ୱପ୍ନ ଦେଖୁଛନ୍ତି, ସେମାନଙ୍କ ପାଇଁ ଏହି ଯୋଜନା ନୂଆ ଆଶା ସୃଷ୍ଟି କରିବ। ଉଚ୍ଚଶିକ୍ଷାର ସୁଯୋଗ ମିଳିଲେ ଏହି ପିଲାମାନେ ଆଗାମୀ ଦିନରେ ଭଲ ଚାକିରି କିମ୍ବା ନିଜସ୍ୱ ରୋଜଗାରର ବାଟ ଖୋଜିପାରିବେ। ତେଣୁ ଯୋଜନାର ସଫଳ କାର୍ଯ୍ୟକାରିତା ସହ ଏହାର ସୂଚନା ପ୍ରତ୍ୟେକ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ଜରୁରୀ। ଯାହାଦ୍ୱାରା କେବଳ ଅଭିଭାବକ କିମ୍ବା ଅର୍ଥର ଅଭାବ ଯୋଗୁଁ କୌଣସି ପିଲା ଉଚ୍ଚଶିକ୍ଷାରୁ ବଞ୍ଚିତ ନହେବେ ।