ମଧୁବାବୁ ପେନସନ୍ ଯୋଜନାରେ ଆଉ ୫ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ସାମିଲ୍, ଆବେଦନ ମଞ୍ଜୁରର ପରବର୍ତ୍ତୀ ମାସରୁ ମିଳିବ ଭତ୍ତା

ଓଡ଼ିଶାରେ ସାମାଜିକ ସୁରକ୍ଷା ପେନସନ୍ ବ୍ୟବସ୍ଥାକୁ ନେଇ ଆସିଛି ଏକ ବଡ଼ ଖବର। ଏଣିକି ବାର୍ଦ୍ଧକ୍ୟ ଭତ୍ତା ସମେତ ମଧୁବାବୁ ପେନସନ୍ ଯୋଜନାରେ ଭତ୍ତା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବନି। ଆବେଦନ ମଞ୍ଜୁର ହେବାର ପରବର୍ତ୍ତୀ ମାସରୁ ହିଁ ଯୋଗ୍ୟ ବ୍ୟକ୍ତିଙ୍କୁ ମିଳିବ ପେନସନ୍ ଭତ୍ତା। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ୍ ମିଡିଆ ଜରିଆରେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ରାଜ୍ୟବାସୀଙ୍କ ସାମାଜିକ ସୁରକ୍ଷା ଓ ସମ୍ମାନଜନକ ଜୀବନଧାରଣକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଭତ୍ତା ପାଇବା ପାଇଁ ଦୀର୍ଘଦିନର ଅପେକ୍ଷା ଓ ପ୍ରଶାସନିକ ଅସୁବିଧାକୁ ଦୂର କରିବା ଲାଗି ପେନସନ୍ ପ୍ରଦାନ ପ୍ରକ୍ରିୟାରେ ଏକ ବଡ଼ ସଂସ୍କାର ଅଣାଯାଇଛି। ଏହାଦ୍ୱାରା ଆବେଦନ ଓ ମଞ୍ଜୁରୀ ପ୍ରକ୍ରିୟା ଅଧିକ ସ୍ୱଚ୍ଛ, ସରଳ ଓ ସୁଗମ ହେବ ବୋଲି ସେ କହିଛନ୍ତି।

ଚଳିତ ବଜେଟ୍‌ରେ ମଧୁବାବୁ ପେନସନ୍ ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ୍ କରିବା ନେଇ ଯେଉଁ ଘୋଷଣା କରାଯାଇଥିଲା, ତାହାକୁ କାର୍ଯ୍ୟକାରୀ କରିବା ଦିଗରେ ସରକାର ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ଆଜି ବାଲେଶ୍ୱରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟର ଆଉ ୫ ଲକ୍ଷରୁ ଊର୍ଦ୍ଧ୍ୱ ଯୋଗ୍ୟ ବ୍ୟକ୍ତିଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ୍ କରାଯିବ। ମୋଟ ୫ ଲକ୍ଷ ୫ ହଜାର ୮୧୭ ଜଣ ନୂଆ ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ।

ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ନୂତନ ହିତାଧିକାରୀମାନଙ୍କୁ ଅକ୍ଟୋବର ମାସରୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯିବ। ଏହା ସହିତ ଆବେଦନ ମଞ୍ଜୁର ହେବା ପରବର୍ତ୍ତୀ ମାସରୁ ଭତ୍ତା ପ୍ରଦାନର ନୂଆ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ ହେବ। ଫଳରେ ଦୀର୍ଘଦିନ ଧରି ପେନସନ୍ ଅପେକ୍ଷାରେ ରହୁଥିବା ଯୋଗ୍ୟ ବ୍ୟକ୍ତିମାନେ ଆଶ୍ୱସ୍ତି ପାଇବେ।

ଏହି କାର୍ଯ୍ୟକ୍ରମ ପାଇଁ ବାଲେଶ୍ୱର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ସେଠାରେ ପୋଲିସ ରିଜର୍ଭ ପଡ଼ିଆରେ ପହଞ୍ଚି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପରେ ନୀଳଗିରି ମଧ୍ୟ ଗସ୍ତ କରିବେ। ଏହି ନୂଆ ବ୍ୟବସ୍ଥା ଦ୍ୱାରା ବାର୍ଦ୍ଧକ୍ୟ, ବିଧବା, ଦିବ୍ୟାଙ୍ଗ ଓ ଅନ୍ୟ ଯୋଗ୍ୟ ବର୍ଗର ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଯୋଗାଇବାରେ ସହାୟତା ମିଳିବ।

ତେବେ ନୂଆ ହିତାଧିକାରୀଙ୍କ ସାମିଲ୍ ଓ ଆବେଦନ ମଞ୍ଜୁର ପରବର୍ତ୍ତୀ ମାସରୁ ଭତ୍ତା ପ୍ରଦାନ ବ୍ୟବସ୍ଥା ରାଜ୍ୟର ପେନସନ୍ ଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ଏହାର ସଫଳ କାର୍ଯ୍ୟାନ୍ୱୟନ ଓ ଯୋଗ୍ୟ ହିତାଧିକାରୀଙ୍କୁ ଠିକ୍ ସମୟରେ ଭତ୍ତା ପ୍ରଦାନ ଉପରେ ଏବେ ସମସ୍ତଙ୍କ ନଜର ରହିଛି।