ଜଗତସିଂହପୁର -ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ବିଭିନ୍ନ ମେଡିସିନ୍ ଷ୍ଟୋରରେ ଅଚାନକ ଯାଞ୍ଚ କରିଛନ୍ତି ଜିଲ୍ଲାପାଳ ଜେ. ସୋନାଲ ଏବଂ ଏସ୍‌ପି ଅଙ୍କିତ ବର୍ମା। ବିନା ଡାକ୍ତରୀ ପରାମର୍ଶରେ ଗର୍ଭନିରୋଧକ ଔଷଧ ବିକ୍ରି ଏବଂ ଆବଶ୍ୟକୀୟ ଫାର୍ମାସି ଲାଇସେନ୍ସ ନିୟମ ଉଲ୍ଲଂଘନ ନେଇ ଆସିଥିବା ଅଭିଯୋଗକୁ ଆଧାର କରି ଏହି ଚଢ଼ାଉ କରାଯାଇଛି।

ସୂଚନା ଅନୁସାରେ, ହସ୍ପିଟାଲ ସମ୍ମୁଖରେ ଥିବା କେତେକ ଔଷଧ ଦୋକାନରେ ବିନା ଡାକ୍ତରୀ ପରାମର୍ଶରେ ଗର୍ଭନିରୋଧକ ଔଷଧ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଏହା ସହ କେତେକ ଦୋକାନରେ ନିଜସ୍ୱ ଫାର୍ମାସି ଲାଇସେନ୍ସ ନଥାଇ ଅନ୍ୟ ଲାଇସେନ୍ସ ଆଧାରରେ ଔଷଧ ବିକ୍ରି କରାଯାଉଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା।

ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଓ ଏସ୍‌ପି ନିଜେ ମେଡିସିନ୍ ଷ୍ଟୋରଗୁଡ଼ିକରେ ପହଞ୍ଚି ଯାଞ୍ଚ କରିଥିଲେ। ଚଢ଼ାଉ ସମୟରେ କେତେକ ଦୋକାନୀ ଦୋକାନର ସଟର ବନ୍ଦ କରି ସେଠାରୁ ଚାଲିଯାଇଥିବା ଜଣାପଡ଼ିଛି। ଫଳରେ ଔଷଧ ବିକ୍ରିର ନିୟମ, ଲାଇସେନ୍ସର ବୈଧତା ଏବଂ ଦୋକାନଗୁଡ଼ିକର କାର୍ଯ୍ୟପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି।

ବିନା ଉପଯୁକ୍ତ ଲାଇସେନ୍ସରେ କିପରି ଔଷଧ ବିକ୍ରି ହେଉଥିଲା? ଅନ୍ୟର ଲାଇସେନ୍ସ ବ୍ୟବହାର କରି ଦୋକାନ ଚାଲୁଥିଲା କି? ଏହି ଅଭିଯୋଗ ପଛରେ ଆଉ କେଉଁମାନଙ୍କ ସମ୍ପୃକ୍ତି ରହିଛି? ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି। ଯାଞ୍ଚ ଓ ତଦନ୍ତ ପରେ ଏହି ଅଭିଯୋଗର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।