ଦୀର୍ଘ ଦୁଇରୁ ଅଢ଼େଇ ବର୍ଷ ଧରି ଭର୍ତ୍ତା ପାଇବାକୁ ଅପେକ୍ଷା କରିଥିବା ବରିଷ୍ଠ ନାଗରିକ, ଅସହାୟ ଓ ବୃଦ୍ଧବୃଦ୍ଧାଙ୍କ ପାଇଁ ଆସିଛି ଖୁସିର ଖବର। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶାର ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ସିଧାସଳଖ ସାମାଜିକ ସୁରକ୍ଷା ଭର୍ତ୍ତା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହେରା, ପାରାଦୀପ ମୁନିସିପାଲିଟିର ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ଉପାଧ୍ୟକ୍ଷା ଛବିଲତା ରାଉତ ଏବଂ ମନ୍ତ୍ରୀଙ୍କ ପ୍ରତିନିଧି ସର୍ବେଶ୍ୱର ବଳିଆରସିଂହଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ। ଅତିଥିମାନେ ସରକାରୀ ଯୋଜନାର ସୁଫଳ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଥିଲେ।
ବିଶେଷ କଥା ହେଉଛି, ଦୀର୍ଘ ଦୁଇରୁ ଅଢ଼େଇ ବର୍ଷ ପୂର୍ବରୁ ଭର୍ତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ଥିବା ଅନେକ ବରିଷ୍ଠ ନାଗରିକଙ୍କ ଆବେଦନ ମଞ୍ଜୁର ହେବା ପରେ ସେମାନଙ୍କୁ ଭର୍ତ୍ତା ପ୍ରଦାନ କରାଯାଇଛି। ଦୀର୍ଘ ଦିନର ଅପେକ୍ଷା ପରେ ଭର୍ତ୍ତା ପାଇ ହିତାଧିକାରୀଙ୍କ ମୁହଁରେ ଖୁସି ଓ ଆନନ୍ଦ ଦେଖିବାକୁ ମିଳିଛି।
ଅନ୍ୟପଟେ, ଯେଉଁ ଯୋଗ୍ୟ ବ୍ୟକ୍ତିମାନଙ୍କର ଭର୍ତ୍ତା ଆବେଦନ ଏପର୍ଯ୍ୟନ୍ତ ମଞ୍ଜୁର ହୋଇନାହିଁ, ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି। ୱାର୍ଡ ଅଫିସରମାନଙ୍କ ସହ ଯୋଗାଯୋଗ ପ୍ରକ୍ରିୟାକୁ ଅଧିକ ସହଜ, ସ୍ୱଚ୍ଛ ଓ ସୁବିଧାଜନକ କରିବା ଉପରେ ଗୁରୁତ୍ୱ ଦିଆଯାଇଛି, ଯାହାଦ୍ୱାରା ଯୋଗ୍ୟ ହିତାଧିକାରୀମାନେ ସରକାରୀ ସହାୟତା ପାଇବାରେ ଅସୁବିଧାର ସମ୍ମୁଖୀନ ନହେବେ।
ତେବେ ପାରାଦୀପରେ ଏହି ଭର୍ତ୍ତା ବଣ୍ଟନ କାର୍ଯ୍ୟକ୍ରମ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ହିତାଧିକାରୀଙ୍କୁ ଆଶ୍ୱସ୍ତି ଦେଇଛି। ଆଗାମୀ ଦିନରେ ଅନ୍ୟ ଯୋଗ୍ୟ ହିତାଧିକାରୀଙ୍କୁ କେବେ ମିଳିବ ଭର୍ତ୍ତା ଏବଂ ଆବେଦନ ପ୍ରକ୍ରିୟା କେତେ ସହଜ ହେବ, ତାହା ଉପରେ ରହିବ ସମସ୍ତଙ୍କ ନଜର।




