ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ୱିଲିୟମ ଗତ ଶୁକ୍ରବାର ଦିନ ମେଲବର୍ଣ୍ଣଠାରୁ ପ୍ରାୟ ୧୮୦ କିଲୋମିଟର ଦୂର ଏକ ଜଙ୍ଗଲକୁ ନିଜ ବନ୍ଧୁଙ୍କ ସହ କ୍ୟାମ୍ପିଙ୍ଗ ପାଇଁ ଯାଇଥିଲେ। କିନ୍ତୁ କ୍ୟାମ୍ପିଙ୍ଗ ସମୟରେ ସେ ହଠାତ୍ ନିଖୋଜ ହୋଇଯାଇଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ରାସ୍ତା ହରାଇବା ସହ ତାଙ୍କ ପାଖରେ ମୋବାଇଲ୍ ଫୋନ୍ ମଧ୍ୟ ନଥିଲା। ଫଳରେ କାହା ସହ ଯୋଗାଯୋଗ କରିବା ତାଙ୍କ ପାଇଁ ସମ୍ଭବ ହୋଇନଥିଲା।
ୱିଲିୟମ ନିଖୋଜ ହେବା ପରେ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପକ୍ଷରୁ ବ୍ୟାପକ ସନ୍ଧାନ ଅଭିଯାନ ଆରମ୍ଭ ହୋଇଥିଲା। ସନ୍ଧାନୀ କୁକୁରଙ୍କ ସହାୟତା ନିଆଯିବା ସହ ହେଲିକପ୍ଟର ମାଧ୍ୟମରେ ଆକାଶମାର୍ଗରୁ ମଧ୍ୟ ଖୋଜାଖୋଜି କରାଯାଇଥିଲା। ଜଙ୍ଗଲରେ ବିଷଧର ସାପ ରହୁଥିବାରୁ ଉଦ୍ଧାରକାରୀ ଦଳ ଓ ପରିବାର ଲୋକଙ୍କ ଚିନ୍ତା ଆହୁରି ବଢ଼ିଯାଇଥିଲା।
ଦୀର୍ଘ ୬ ଦିନ ଧରି ଜଙ୍ଗଲରେ ଫସି ରହିବା ସମୟରେ ୱିଲିୟମ ଅତ୍ୟନ୍ତ ବିପଦପୂର୍ଣ୍ଣ ପରିସ୍ଥିତିର ସାମ୍ନା କରିଥିଲେ। ଖାଦ୍ୟ ଓ ପାନୀୟ ଅଭାବ ସହ ଜଙ୍ଗଲରେ ରହିବାର ଭୟ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା। ଏହି ସମୟରେ ତାଙ୍କ ପାଖରେ ଥିବା ଆଳୁ ଚିପ୍ସ ତାଙ୍କୁ କିଛି ସମୟ ପାଇଁ ଖାଦ୍ୟ ଯୋଗାଇଥିଲା। ଶେଷରେ ଉଦ୍ଧାରକାରୀ ଟିମ୍ ହେଲିକପ୍ଟର ସାହାଯ୍ୟରେ ତାଙ୍କୁ ଠାବ କରିଥିଲେ।
ହେଲିକପ୍ଟରକୁ ଦେଖିବା ମାତ୍ରେ ୱିଲିୟମଙ୍କ ମନରେ ନୂଆ ଆଶା ସଞ୍ଚାର ହୋଇଥିଲା। ଦୀର୍ଘ ୬ ଦିନର ଅନିଶ୍ଚିତତା ଓ ଭୟ ପରେ ଉଦ୍ଧାରକାରୀ ଦଳ ତାଙ୍କ ପାଖରେ ପହଞ୍ଚିଥିଲେ। ଶେଷରେ ତାଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲରୁ ବାହାର କରାଯାଇଥିଲା। ଏହି ଉଦ୍ଧାର ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ୱିଲିୟମଙ୍କ ମାଆ ଏଲିଜାବେଥ୍ ବାର୍କଲେଙ୍କ କହିବା ଅନୁସାରେ, ଉଦ୍ଧାର ପରେ ତାଙ୍କ ପୁଅ ସୁରକ୍ଷିତ ଅଛନ୍ତି ଏବଂ ଅଧିକ ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ତେବେ ଦୀର୍ଘ ଦିନ ଧରି ଖାଦ୍ୟ ଅଭାବରେ ରହିଥିବାରୁ ତାଙ୍କୁ ଏକାଥରକେ ଅଧିକ ଖାଦ୍ୟ ନଦେଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଧୀରେ ଧୀରେ ଖାଦ୍ୟ ଦେବାକୁ କୁହାଯାଇଛି।
ଏକ ସାଧାରଣ କ୍ୟାମ୍ପିଙ୍ଗ ଯାତ୍ରା କିପରି ଏକ ବଡ଼ ବିପଦରେ ପରିଣତ ହେଲା ଏବଂ ଜୀବନର ଆଶା ହରାଇବା ପୂର୍ବରୁ କିପରି ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ଉଦ୍ଧାର କରାଗଲା, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦ୍ଧାରକାରୀ ଟିମ୍ର ନିରନ୍ତର ପ୍ରୟାସ ଯୋଗୁଁ ୱିଲିୟମ ଏକ ବଡ଼ ବିପଦରୁ ରକ୍ଷା ପାଇଛନ୍ତି।




