ପ୍ରତିବର୍ଷ ଅକ୍ଟୋବର ୩୧ରେ ପାଳନ ହୁଏ ହାଲୋୱିନ୍ (Halloween)। ଭୟଙ୍କର ପୋଷାକ, ବିଚିତ୍ର ମେକଅପ୍, ଭୂତ ମୁଖା, କଖାରୁର ସାଜସଜ୍ଜା ଏବଂ ପିଲାମାନଙ୍କ ଚକୋଲେଟ୍ ସଂଗ୍ରହଏସବୁ ହେଉଛି ଏହି ପର୍ବର ମୁଖ୍ୟ ଆକର୍ଷଣ। କିନ୍ତୁ ହାଲୋୱିନ୍ ପାଳନ ପଛରେ ରହିଛି ଏକ ପ୍ରାଚୀନ ଇତିହାସ।

ହାଲୋୱିନ୍‌ର ଉତ୍ପତ୍ତି ପ୍ରାଚୀନ ସେଲ୍ଟିକ୍ ସଭ୍ୟତାର ‘ସାମହେନ୍’ (Samhain) ପର୍ବ ସହ ଜଡ଼ିତ। ସେତେବେଳେ ଲୋକମାନେ ବିଶ୍ୱାସ କରୁଥିଲେ ଯେ ଅକ୍ଟୋବର ୩୧ ରାତିରେ ଜୀବିତ ଓ ମୃତକଙ୍କ ଜଗତ ମଧ୍ୟରେ ଥିବା ସୀମା ଦୁର୍ବଳ ହୋଇଯାଏ ଏବଂ ମୃତକଙ୍କ ଆତ୍ମା ପୃଥିବୀକୁ ଫେରିଆସନ୍ତି। ଏହି ଆତ୍ମାଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ଲୋକମାନେ ଭୟଙ୍କର ପୋଷାକ ଓ ମୁଖା ପିନ୍ଧୁଥିଲେ।

ପରବର୍ତ୍ତୀ ସମୟରେ ଖ୍ରୀଷ୍ଟିଆନ୍ ପରମ୍ପରାର ‘ଅଲ୍ ସେଣ୍ଟସ୍ ଡେ’ ଏବଂ ‘ଅଲ୍ ହାଲୋଜ୍ ଇଭ୍’ ସହ ଏହି ପର୍ବର ସମ୍ପର୍କ ଯୋଡ଼ି ହୋଇଥିଲା। ଧୀରେ ଧୀରେ ‘ଅଲ୍ ହାଲୋଜ୍ ଇଭ୍’ ନାମ ପରିବର୍ତ୍ତିତ ହୋଇ ‘ହାଲୋୱିନ୍’ ହୋଇଥିଲା। ଏହା ସହ ଜଡ଼ିତ କଖାରୁରେ ଭୟଙ୍କର ମୁହଁ ତିଆରି କରି ଆଲୋକ ଜଳାଇବାର ପରମ୍ପରାକୁ ‘ଜ୍ୟାକ୍-ଓ-ଲାଣ୍ଟର୍ଣ୍ଣ’ କୁହାଯାଏ।

ପ୍ରାଚୀନ ବିଶ୍ୱାସରୁ ଆରମ୍ଭ ହୋଇ ଆଜି ଏକ ଆକର୍ଷଣୀୟ ସାଂସ୍କୃତିକ ଉତ୍ସବରେ ପରିଣତ ହୋଇଛି ହାଲୋୱିନ୍। ପାଶ୍ଚାତ୍ୟ ଦେଶ ସହ ଏବେ ଭାରତରେ ମଧ୍ୟ ଏହାର ଲୋକପ୍ରିୟତା ବଢ଼ୁଛି। ତେବେ ହାଲୋୱିନ୍ ପାଳନ ପଛରେ ଥିବା ଏହି ରୋଚକ ଇତିହାସ ଓ ପରମ୍ପରା ବିଷୟରେ ଜାଣନ୍ତୁ ଏହି ବିଶେଷ ରିପୋର୍ଟରେ।