ତିରୁପତିରୁ ଆରମ୍ଭ ପ୍ରେମ କାହାଣୀ, ୪ ବର୍ଷ ପରେ ବି ଅତୁଟ ମହାଲକ୍ଷ୍ମୀ-ରବିନ୍ଦରଙ୍କ ସମ୍ପର୍କ

ସାଉଥ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଯୋଡ଼ି ଅଭିନେତ୍ରୀ ମହାଲକ୍ଷ୍ମୀ ଶଙ୍କରନ୍ ଓ ତାଙ୍କ ସ୍ୱାମୀ ତଥା ପ୍ରଯୋଜକ ରବିନ୍ଦର ଚନ୍ଦ୍ରଶେଖରନ୍ ପୁଣିଥରେ ଚର୍ଚ୍ଚାରେ। ବିବାହର ଚାରି ବର୍ଷ ପରେ ମହାଲକ୍ଷ୍ମୀ ସୋସିଆଲ ମିଡିଆରେ ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରି ନିଜ ପ୍ରେମ କାହାଣୀର ପୁରୁଣା ସ୍ମୃତିକୁ ତାଜା କରିଛନ୍ତି। ତିରୁପତିର ଏକ ଫଟୋ ସହ ଭାବପ୍ରବଣ ବାର୍ତ୍ତା ଲେଖି ସେ ନିଜ ସମ୍ପର୍କର ଆରମ୍ଭ ଓ ଭଲପାଇବା ବିଷୟରେ ମନ ଖୋଲିଛନ୍ତି।

ମହାଲକ୍ଷ୍ମୀ ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ସବୁକିଛି ତିରୁପତିରୁ ହିଁ ଆରମ୍ଭ ହୋଇଥିଲା। ତାଙ୍କ ଜୀବନ ଓ ପ୍ରେମର ଯାତ୍ରା ଏହି ସ୍ଥାନରୁ ଆରମ୍ଭ ହୋଇଥିବାରୁ ଏହି ସ୍ଥାନ ତାଙ୍କ ପାଇଁ ବେଶ୍ ଖାସ୍। ଏହା ସହ ସେ ପ୍ରେମର ପ୍ରକୃତ ଅର୍ଥ ବୁଝାଇବାକୁ ଯାଇ କହିଛନ୍ତି ଯେ, ଲୋକମାନେ ଆମକୁ କିପରି ଦେଖୁଛନ୍ତି, କ'ଣ କହୁଛନ୍ତି କିମ୍ବା କେମିତି କମେଣ୍ଟ କରୁଛନ୍ତି, ତାହା ପ୍ରେମର ମାପକାଠି ନୁହେଁ। ପରସ୍ପରର ଯତ୍ନ ନେବା, ଭଲ ଓ ଖରାପ ସମୟରେ ପାଖରେ ଛିଡ଼ା ହେବା ହିଁ ପ୍ରକୃତ ଭଲପାଇବାର ପରିଚୟ।

ସୂଚନା ଅନୁଯାୟୀ, ମହାଲକ୍ଷ୍ମୀ ଓ ରବିନ୍ଦରଙ୍କ ପ୍ରଥମ ଦେଖା 'Vidiyum Varai Kaathiru' ଚଳଚ୍ଚିତ୍ରର ସେଟ୍‌ରେ ହୋଇଥିଲା। ଏହି ଚଳଚ୍ଚିତ୍ରର ପ୍ରଯୋଜକ ଥିଲେ ରବିନ୍ଦର ଏବଂ ମହାଲକ୍ଷ୍ମୀ ଏଥିରେ ଅଭିନୟ କରୁଥିଲେ। ଏକାଠି କାମ କରୁ କରୁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଓ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ରବିନ୍ଦର ଏକ ସାକ୍ଷାତକାରରେ କହିଥିଲେ ଯେ, ବିବାହ ପୂର୍ବରୁ ଦୁହେଁ ପ୍ରାୟ ଦେଢ଼ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ।

ଶେଷରେ ୨୦୨୨ ସେପ୍ଟେମ୍ବର ୧ ତାରିଖରେ ତିରୁପତି ମନ୍ଦିରରେ ପରିବାର ଲୋକଙ୍କ ଉପସ୍ଥିତିରେ ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ଦୁହିଁଙ୍କ ଫଟୋ ସୋସିଆଲ ମିଡିଆରେ ଆସିବା ମାତ୍ରେ ଏହି ଯୋଡ଼ି ଖୁବ୍ ଚର୍ଚ୍ଚାକୁ ଆସିଥିଲେ। ଅନେକ ଲୋକ ଶୁଭେଚ୍ଛା ଜଣାଇଥିବା ବେଳେ କିଛି ଲୋକ ଉଭୟଙ୍କ ଲୁକ୍ସ ଓ ଶାରୀରିକ ଗଠନକୁ ନେଇ ଟ୍ରୋଲ୍ କରିଥିଲେ। ଏପରିକି ମହାଲକ୍ଷ୍ମୀ କେବଳ ରବିନ୍ଦରଙ୍କ ଟଙ୍କା ପାଇଁ ବିବାହ କରିଥିବା ଭଳି ମନ୍ତବ୍ୟ ମଧ୍ୟ ଦିଆଯାଇଥିଲା।

ତେବେ ଏଭଳି ଟ୍ରୋଲିଂର ଜବାବ ଦେଇ ମହାଲକ୍ଷ୍ମୀ କହିଥିଲେ ଯେ, କାହାର ଓଜନ କିମ୍ବା ଚେହେରାକୁ ନେଇ ମନ୍ତବ୍ୟ ଦେବା ଠିକ୍ ନୁହେଁ। ସେହିପରି ବୟସକୁ ନେଇ ହୋଇଥିବା ଚର୍ଚ୍ଚା ଉପରେ ମଧ୍ୟ ସେ ସ୍ପଷ୍ଟୀକରଣ ଦେଇଥିଲେ। ରବିନ୍ଦର ମଧ୍ୟ କହିଥିଲେ ଯେ, ଲୋକଙ୍କ ମତାମତ ଯାହା ହେଉନା କାହିଁକି, ପରସ୍ପର ପ୍ରତି ଥିବା ଭଲପାଇବା ଓ ବିଶ୍ୱାସ ହିଁ ସେମାନଙ୍କ ସମ୍ପର୍କର ମୂଳ ଆଧାର।

ଏବେ ବିବାହର ଚାରି ବର୍ଷ ପରେ ମହାଲକ୍ଷ୍ମୀଙ୍କ ଏହି ରୋମାଣ୍ଟିକ ପୋଷ୍ଟ ପୁଣିଥରେ ଦୁହିଁଙ୍କ ପ୍ରେମ କାହାଣୀକୁ ଚର୍ଚ୍ଚାକୁ ଆଣିଛି। ଟ୍ରୋଲିଂ ଓ ସମାଲୋଚନାକୁ ପଛରେ ପକାଇ ଦୁହେଁ ପରସ୍ପରର ସାଥୀ ହୋଇ ରହିଥିବା ବାର୍ତ୍ତା ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି।