୪୬ ବର୍ଷ ପରେ ଚିକିଟି କଲେଜରେ ଛାତ୍ର ସଂସଦ ନିର୍ବାଚନ, ସଭାପତି ABVP ହାତରେ; ବାକି ସମସ୍ତ ପଦ ହାତେଇଲା BCJD

ଗଞ୍ଜାମ ଜିଲ୍ଲା ଚିକିଟି ମହାବିଦ୍ୟାଳୟରେ ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଥିବାରୁ କଲେଜ ପରିସରରେ ଉତ୍ସାହ ଓ ରାଜନୈତିକ ଚର୍ଚ୍ଚା ଦେଖିବାକୁ ମିଳିଛି। ଏହି ନିର୍ବାଚନରେ ସଭାପତି ପଦରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ପ୍ରାର୍ଥୀ ପ୍ରଣୟ କୁମାର ପ୍ରଧାନ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟୀ ହୋଇଥିବା ବେଳେ ଅନ୍ୟ ସମସ୍ତ ପଦରେ ବିଜୁ ଛାତ୍ର ଜନତା ଦଳ (BCJD) ସମର୍ଥିତ ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି। ସଭାପତି ପଦ ପାଇଁ BCJD ପକ୍ଷରୁ ପୃଥ୍ୱୀରାଜ ବେହେରା ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ବୟସଗତ କାରଣରୁ ତାଙ୍କ ନାମାଙ୍କନପତ୍ର ନାକଚ ହେବା ପରେ ABVP ପ୍ରାର୍ଥୀ ପ୍ରଣୟ କୁମାର ପ୍ରଧାନଙ୍କ ପାଇଁ ସଭାପତି ପଦରେ ବିଜୟର ରାସ୍ତା ସହଜ ହୋଇଥିଲା। ଅନ୍ୟପଟେ ଉପସଭାପତି ପଦରେ ସୁନୀଲ କୁମାର ପାଣିଗ୍ରାହୀ, ସମ୍ପାଦକ ପଦରେ କେ. ବୈଷ୍ଣବୀ ଆଚାର୍ଯ୍ୟ ଏବଂ ସହକାରୀ ସମ୍ପାଦକ ପଦରେ ନାକା ଚିରଞ୍ଜୀବୀ ରେଡ୍ଡୀ ବିଜୟୀ ହୋଇଛନ୍ତି। ସେହିପରି ଡ୍ରାମା କ୍ଲବ୍ ସମ୍ପାଦକ ଭାବେ ନାଲା ସୁମନ କୁମାର, ସହକାରୀ ସମ୍ପାଦକ ଭାବେ ତନୁଶ୍ରୀ ପ୍ରଧାନ, ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ଭାବେ ସାହିଲ ପ୍ରଧାନ ଏବଂ ସହକାରୀ ସମ୍ପାଦକ ଭାବେ ରୁଦ୍ର କୁମାର ସେଠୀ ନିର୍ବାଚିତ ହୋଇଛନ୍ତି। ଫଳରେ ସଭାପତି ପଦ ABVP ହାତକୁ ଯାଇଥିବା ବେଳେ ଅନ୍ୟ ସମସ୍ତ ପଦ BCJD ଦଖଲ କରିଛି। ବିଜୟ ପରେ BCJDର ବିଜୟୀ ପ୍ରାର୍ଥୀମାନେ ଚିକିଟି ରାଜନଅରରେ ପହଞ୍ଚି ବିଜେଡିର ବିଧାୟକ ପ୍ରାର୍ଥୀ ତଥା ଚିକିଟି ରାଜକୁମାର ବାବା ସାର ଶ୍ରୀ ଚିନ୍ମୟାନନ୍ଦ ଶ୍ରୀରୂପ ଦେବଙ୍କ ଆଶୀର୍ବାଦ ଗ୍ରହଣ କରିଥିବା ସୂଚନା ମିଳିଛି। ଦୀର୍ଘ ଦଶନ୍ଧି ପରେ ନିର୍ବାଚନ ହୋଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ଏହି ନିର୍ବାଚନ ଫଳାଫଳ କଲେଜର ଛାତ୍ର ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ କରିଥିବା ବେଳେ ନବନିର୍ବାଚିତ ପ୍ରତିନିଧିମାନେ ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିକ୍ଷାଗତ ପରିବେଶ ଓ କଲେଜର ବିକାଶ ଦିଗରେ କିପରି କାର୍ଯ୍ୟ କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।