କୋରାପୁଟ: ସିମିଳିଗୁଡ଼ାରେ ରୟାଲ ବେଙ୍ଗଲ ଟାଇଗର ଆତଙ୍କ, ରାତିସାରା ପାଟ୍ରୋଲିଂ କରୁଛି ବନ ବିଭାଗ

କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଅଞ୍ଚଳରେ ରୟାଲ ବେଙ୍ଗଲ ଟାଇଗରର ଉପସ୍ଥିତିକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଜଙ୍ଗଲରେ ବାଘର ଗତିବିଧି ଥିବା ଖବର ପରେ ଏବେ ଗାଁ ଗାଁରେ ବଢ଼ିଛି ସତର୍କତା। କିଛିଦିନ ତଳେ ବନ ବିଭାଗକୁ ମିଳିଥିବା ବାଘର ପାଦଚିହ୍ନ ପରେ ଡିଜିଟାଲ କ୍ୟାମେରାରୁ ମିଳିଥିବା ତଥ୍ୟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଞ୍ଚଳରେ ବାଘର ଉପସ୍ଥିତିକୁ ଚିହ୍ନଟ କରିଛି ବନ ବିଭାଗ। ଏହାପରେ ବାଘର ଗତିବିଧି ଉପରେ କଡ଼ା ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି।

ବାଘର ଗତିବିଧି ଠାବ କରିବା ପାଇଁ ବନ ବିଭାଗ ପକ୍ଷରୁ ଏକାଧିକ ଟିମ୍ ନିୟୋଜିତ ହୋଇଛନ୍ତି। ଦିନ ହେଉ କି ରାତି, ପ୍ରତି ମୁହୂର୍ତ୍ତରେ ଚାଲିଛି ନଜରଦାରୀ। ବିଶେଷକରି ରାତିର ଅନ୍ଧାରରେ ବାଘର ଉପସ୍ଥିତି ଓ ଗତିବିଧି ଜାଣିବା ପାଇଁ ଥର୍ମାଲ ନାଇଟ୍ ଭିଜନ୍ ଡ୍ରୋନ୍ କ୍ୟାମେରାର ସହାୟତା ନିଆଯାଉଛି। ପ୍ରାୟ ୭.୫ କିଲୋମିଟର ପରିଧି ମଧ୍ୟରେ ନଜର ରଖିବାର କ୍ଷମତା ଥିବା ଏହି ଡ୍ରୋନ୍ ମାଧ୍ୟମରେ ବାଘର ଅବସ୍ଥିତି ଖୋଜା ଚାଲିଛି।

ସିମିଳିଗୁଡ଼ା ଅଞ୍ଚଳରେ ରାତିସାରା ପାଟ୍ରୋଲିଂ ପାଇଁ ଛଅ ଜଣିଆ ଟିମ୍ ନିୟୋଜିତ ହୋଇଛି। ଏହାସହ ଚାରିଜଣିଆ ରାପିଡ୍ ରେସପନ୍ସ ଟିମ୍ ବା ଆରଆରଟି ମଧ୍ୟ ନିୟମିତ ପାଟ୍ରୋଲିଂ କରୁଛି। ଆବଶ୍ୟକ ପଡ଼ିଲେ ଅନ୍ୟ ରେଞ୍ଜରୁ ମଧ୍ୟ ଟିମ୍ ଡକାଯାଇ ସହଯୋଗ ନିଆଯିବ ବୋଲି ଜଣାପଡ଼ିଛି। ବାଘର ଗତିବିଧି ଉପରେ ନିରନ୍ତର ନଜର ରଖିବା ସହ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ବନ ବିଭାଗ ସଜାଗ ରହିଛି।

ଅନ୍ୟପଟେ ଝଲାପୁଟ ଓ ରାଜପୁଟ ଗାଁ ସମେତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋବ୍ରା ବାଟାଲିୟନ ଏବଂ ଏଚ୍‌ଏଏଲ୍ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି। ଡିଅର ପାର୍କ ଅଞ୍ଚଳରେ ମଧ୍ୟ ବନ କର୍ମଚାରୀଙ୍କୁ ନଜର ରଖିବା ପାଇଁ ନିୟୋଜିତ କରାଯାଇଛି। ଲାଉଡସ୍ପିକର ମାଧ୍ୟମରେ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରାଯାଉଛି। ବାଘକୁ ନେଇ ଅଯଥା ଭୟଭୀତ ନହେବା ସହ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ଅପିଲ୍ କରାଯାଇଛି।

ବନ ବିଭାଗର ପରାମର୍ଶ ଅନୁଯାୟୀ, କୌଣସି ସ୍ଥାନରେ ବାଘର ପାଦଚିହ୍ନ, ଗର୍ଜନ କିମ୍ବା ସନ୍ଦେହଜନକ ଗତିବିଧି ଦେଖିଲେ ନିଜେ ବାଘର ପିଛା କରନ୍ତୁ ନାହିଁ କିମ୍ବା ତାକୁ ଉତ୍ତେଜିତ କରିବା ଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ। ତୁରନ୍ତ ବନ ବିଭାଗକୁ ସୂଚନା ଦିଅନ୍ତୁ। ବାଘର ଗତିବିଧି ଚିହ୍ନଟ ହେବା ପରେ ସିମିଳିଗୁଡ଼ା ଅଞ୍ଚଳରେ ବନ ବିଭାଗର ତତ୍ପରତା ବଢ଼ିଛି। ଏବେ ସମସ୍ତଙ୍କ ନଜର ବାଘର ପରବର୍ତ୍ତୀ ଗତିବିଧି ଏବଂ ବନ ବିଭାଗର ପରବର୍ତ୍ତୀ ପଦକ୍ଷେପ ଉପରେ।