ଗତବର୍ଷ ମୁସ୍ତାଫିଜୁର ରହମାନଙ୍କୁ ନେଇ ଆଇପିଏଲ୍‌ରେ ସୃଷ୍ଟି ହୋଇଥିଲା ବଡ଼ ବିବାଦ। ଏହାର ପ୍ରଭାବ ଭାରତ ଓ ବାଂଲାଦେଶ କ୍ରିକେଟ୍ ସମ୍ପର୍କ ଉପରେ ମଧ୍ୟ ପଡ଼ିଥିଲା। ହେଲେ ଏବେ ଆଇପିଏଲ୍ ୨୦୨୭କୁ ନେଇ ପୁଣି ଚର୍ଚ୍ଚାରେ ବାଂଲାଦେଶୀ କ୍ରିକେଟର। ଆଗାମୀ ଆଇପିଏଲ୍ ମିନି ନିଲାମ ପାଇଁ ବାଂଲାଦେଶର ୭ ଜଣ ଖେଳାଳି ନିଜ ନାମ ପଞ୍ଜୀକରଣ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ଅନୁଯାୟୀ, ଏହି ତାଲିକାରେ ବାଂଲାଦେଶର ଷ୍ଟାର୍ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କ ନାମ ରହିଛି। ତାଙ୍କ ବ୍ୟତୀତ ନାହିଦ ରାଣା, ରିଶାଦ ହୁସେନ, ହାସନ ମହମୁଦ, ତୌହିଦ ହୃଦୟ, ତସ୍କିନ ଅହମଦ ଓ ଶୋରିଫୁଲ ଇସଲାମ ମଧ୍ୟ ନିଲାମ ପାଇଁ ପଞ୍ଜୀକରଣ କରିଛନ୍ତି।

ଗତବର୍ଷ କୋଲକାତା ନାଇଟ୍ ରାଇଡର୍ସ ମୁସ୍ତାଫିଜୁର ରହମାନଙ୍କୁ ୯.୨୦ କୋଟି ଟଙ୍କାରେ କିଣିଥିଲା। ଏହାପରେ ତାଙ୍କୁ ଦଳରୁ ରିଲିଜ୍ କରାଯିବା ଘଟଣାକୁ ନେଇ ବିବାଦ ଦେଖାଦେଇଥିଲା। ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଭାରତରେ ଅସନ୍ତୋଷ ପ୍ରକାଶ ପାଇବା ପରେ ମୁସ୍ତାଫିଜୁରଙ୍କୁ ଆଇପିଏଲ୍‌ରୁ ବାଦ୍ ଦେବାକୁ ଦାବି ହୋଇଥିଲା। ଶେଷରେ BCCIର ନିର୍ଦ୍ଦେଶ ପରେ KKR ତାଙ୍କୁ ରିଲିଜ୍ କରିଥିଲା।

ଏହି ଘଟଣା ପରେ ଭାରତ ଓ ବାଂଲାଦେଶ ମଧ୍ୟରେ କ୍ରିକେଟ୍ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଥିଲା। ୨୦୨୬ ଟି-୨୦ ବିଶ୍ୱକପ୍‌ରେ ଭାରତରେ ଖେଳିବାକୁ ନେଇ ବାଂଲାଦେଶ ପକ୍ଷରୁ ସୁରକ୍ଷା ସମ୍ବନ୍ଧୀୟ ଆପତ୍ତି ଉଠାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଗାମୀ IPL ନିଲାମ ପାଇଁ ୭ ଜଣ ବାଂଲାଦେଶୀ ଖେଳାଳିଙ୍କ ପଞ୍ଜୀକରଣକୁ ନେଇ କ୍ରିକେଟ୍ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ବାଂଲାଦେଶ କ୍ରିକେଟ୍ ବୋର୍ଡର କ୍ରିକେଟ୍ ଅପରେସନ୍ସ ଅଧିକାରୀ ସହରିୟାର ନଫିସ୍‌ଙ୍କ ସୂଚନା ଅନୁଯାୟୀ, BCCI ପକ୍ଷରୁ ଆଗାମୀ ନିଲାମ ପାଇଁ ଇଚ୍ଛୁକ ଖେଳାଳିଙ୍କ ନାମ ମଗାଯାଇଥିଲା। ଏହା ଏକ ସାଧାରଣ ପଞ୍ଜୀକରଣ ପ୍ରକ୍ରିୟା। ତେବେ କେବଳ ନାମ ପଞ୍ଜୀକରଣ କରିବା ଅର୍ଥ ନୁହେଁ ଯେ ସମସ୍ତ ଖେଳାଳିଙ୍କୁ ଆଇପିଏଲ୍‌ରେ ଖେଳିବାର ସୁଯୋଗ ମିଳିବ। ନିଲାମ ପ୍ରକ୍ରିୟା ପରେ ହିଁ ସେମାନଙ୍କ ଭାଗ୍ୟ ସ୍ପଷ୍ଟ ହେବ।

ତେବେ ଗତବର୍ଷର ବିବାଦ ପରେ ଏଥର ଆଇପିଏଲ୍ ନିଲାମରେ ବାଂଲାଦେଶୀ ଖେଳାଳିଙ୍କ ଭାଗ୍ୟ କ'ଣ ହେବ? କେଉଁ ଖେଳାଳିଙ୍କୁ କେଉଁ ଫ୍ରାଞ୍ଚାଇଜି କିଣିବ? ଏବଂ ଭାରତ-ବାଂଲାଦେଶ କ୍ରିକେଟ୍ ସମୀକରଣରେ କିଛି ପରିବର୍ତ୍ତନ ଆସିବ କି? ଏସବୁ ଉପରେ ରହିଛି କ୍ରିକେଟ୍ ପ୍ରେମୀଙ୍କ ନଜର।