କଟକର ଐତିହାସିକ ବାଲିଯାତ୍ରାକୁ ନେଇ ଏଥର ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ବାଲିଯାତ୍ରାର ଉଦ୍ଘାଟନ କରିବେ। ଆସନ୍ତା ନଭେମ୍ବର ୨୪ ତାରିଖରେ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଐତିହାସିକ ମହୋତ୍ସବର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ରାଷ୍ଟ୍ରପତିଙ୍କ ଆଗମନ ଖବର ପରେ କଟକବାସୀଙ୍କ ମଧ୍ୟରେ ଉତ୍ସାହ ଓ ଉତ୍କଣ୍ଠା ବଢ଼ିଛି। ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠ ଦିନ ଧରି ମହାନଦୀ ପଠାର ଉପର ଓ ତଳ ପଡ଼ିଆରେ ଆୟୋଜିତ ହେବ ଏହି ବିଶାଳ ମେଳା। ଉଦ୍ଘାଟନୀ ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।
ପୂର୍ବରୁ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟସୂଚୀରେ ଏକାଧିକ ଥର ପରିବର୍ତ୍ତନ ହୋଇଥିବା ବେଳେ ଏବେ ବାଲିଯାତ୍ରା ଉଦ୍ଘାଟନକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।
କଟକ ବାଲିଯାତ୍ରା କେବଳ ଏକ ମେଳା ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଇତିହାସ, ସଂସ୍କୃତି ଓ ପରମ୍ପରାର ଜୀବନ୍ତ ପ୍ରତୀକ। ପ୍ରାଚୀନ କାଳରେ ଓଡ଼ିଆ ସାଧବ ପୁଅମାନେ ବୋଇତରେ ବସି ବାଲି, ଜାଭା, ସୁମାତ୍ରା ଭଳି ଦକ୍ଷିଣ-ପୂର୍ବ ଏସିଆର ଅଞ୍ଚଳକୁ ବାଣିଜ୍ୟ କରିବାକୁ ଯାଉଥିଲେ। ସେହି ଗୌରବମୟ ଅତୀତକୁ ମନେ ପକାଇ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆୟୋଜିତ ହୁଏ ଏହି ଐତିହାସିକ ବାଲିଯାତ୍ରା।
ବାଲିଯାତ୍ରାରେ ଓଡ଼ିଶାର ଲୋକକଳା, ହସ୍ତଶିଳ୍ପ, ଖାଦ୍ୟପେୟ, ପାରମ୍ପରିକ ସଂସ୍କୃତି ଓ ବାଣିଜ୍ୟକୁ ମିଳେ ଏକ ବଡ଼ ମଞ୍ଚ। ଏହା ପର୍ଯ୍ୟଟନ ଓ ସ୍ଥାନୀୟ ବ୍ୟବସାୟକୁ ମଧ୍ୟ ପ୍ରୋତ୍ସାହନ ଦେଇଥାଏ। ଚଳିତ ବର୍ଷ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ମହୋତ୍ସବର ଗୁରୁତ୍ୱ ଓ ଗୌରବକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି।




