ଆକାଶରେ ଉଡ଼ିଲା ରହସ୍ୟମୟ ‘ଜେଲିଫିସ୍’! ଏଲିଏନ୍ ନା ଡ୍ରୋନ୍?

ଆମେରିକାର ଆଲାସ୍କାରେ ଆକାଶରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଦୃଶ୍ୟ। ଜେଲିଫିସ୍ ଭଳି ଆକୃତିର ଏକ ରହସ୍ୟମୟ ବସ୍ତୁ ଆକାଶରେ ଉଡ଼ୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓଟି ଆମେରିକାର ଆଲାସ୍କାର ଆଙ୍କୋରେଜ୍‌ରେ ରେକର୍ଡ ହୋଇଥିବା କୁହାଯାଉଛି।

ସୂଚନା ଅନୁସାରେ, ସାରା ଜେନ୍ ଅସବର୍ନ ନାମକ ଜଣେ ମହିଳା ଇନ୍ଦ୍ରଧନୁର ଫଟୋ ଉଠାଉଥିବା ସମୟରେ ଏହି ଅଜବ ବସ୍ତୁକୁ ଦେଖିଥିଲେ ଏବଂ କ୍ୟାମେରାରେ କଏଦ କରିଥିଲେ। ଭିଡିଓରେ କଳା ଓ ରୂପେଲି ରଙ୍ଗର ଏହି ବସ୍ତୁଟି ଜେଲିଫିସ୍ ପରି ଦେଖାଯାଉଛି। ଏହାର ତଳ ଭାଗରୁ ଅନେକ ଲମ୍ବା ଅଂଶ ଝୁଲି ରହିଥିବା ବେଳେ ସେଗୁଡ଼ିକ ସ୍ୱତନ୍ତ୍ର ଭାବେ ହଲୁଥିବା ଦେଖାଯାଉଛି।

ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। କେହି ଏହାକୁ UFO ବା ଅଜଣା ଉଡ଼ନ୍ତା ବସ୍ତୁ ବୋଲି କହୁଥିବା ବେଳେ ଆଉ କେହି ଏହା ଏଲିଏନ୍ ହୋଇପାରେ ବୋଲି ଅନୁମାନ କରୁଛନ୍ତି। ଅନ୍ୟପକ୍ଷରେ, ଏହା ଏକ ଅଜବ ଡ୍ରୋନ୍ କିମ୍ବା ସ୍ୱତନ୍ତ୍ର ଡିଜାଇନ୍‌ର ଗୁଡ଼ି ହୋଇପାରେ ବୋଲି ମଧ୍ୟ ମତ ପ୍ରକାଶ ପାଇଛି।

କିଛି ଲୋକ ଭିଡିଓଟି AI ଦ୍ୱାରା ତିଆରି ବୋଲି ସନ୍ଦେହ କରିଥିବା ବେଳେ ଭିଡିଓ ରେକର୍ଡ କରିଥିବା ମହିଳା ଏହାକୁ ଖାରଜ କରିଛନ୍ତି। ଭିଡିଓରେ ବସ୍ତୁଟି ଆମେରିକୀୟ ସେନାର ଜଏଣ୍ଟ ବେସ୍ ଏଲମେଣ୍ଡର୍ଫ-ରିଚାର୍ଡସନ୍ ଦିଗକୁ ଯାଉଥିବା ପରି ଲାଗୁଥିଲେ ମଧ୍ୟ ସେନା ସହ ଏହାର କୌଣସି ସମ୍ପର୍କ ଥିବା ନେଇ ପ୍ରମାଣ ମିଳିନାହିଁ।

ତେବେ ଏହି ରହସ୍ୟମୟ ବସ୍ତୁଟି ପ୍ରକୃତରେ କ’ଣ? ଏହା ଏକ ଡ୍ରୋନ୍, ଗୁଡ଼ି ନା ଅନ୍ୟ କିଛି? ଏପର୍ଯ୍ୟନ୍ତ ଏହାର ପରିଚୟ ସ୍ପଷ୍ଟ ହୋଇନାହିଁ। ରହସ୍ୟମୟ ଭିଡିଓଟିକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି।