ଏହି ସିରିଜ୍ର ସବୁଠାରୁ ବଡ଼ ଆକର୍ଷଣ ହେବେ ଭାରତୀୟ କ୍ରିକେଟ୍ର ଦୁଇ ଅଭିଜ୍ଞ ତାରକା ରୋହିତ ଶର୍ମା ଓ ବିରାଟ କୋହଲି। ଦୀର୍ଘ ଦିନ ପରେ ପୁଣି ଭାରତୀୟ ଜର୍ସିରେ ଏହି ଦୁଇ ଖେଳାଳିଙ୍କୁ ଦେଖିବାକୁ ମିଳିବ। ଉଭୟଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଦେଖିବାକୁ ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ। ବିଶେଷ କରି ୨୦୨୭ ଦିନିକିଆ ବିଶ୍ୱକପ୍କୁ ନଜରରେ ରଖି ଏହି ସିରିଜ୍ ଉଭୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ।
ସିରିଜ୍ର ପ୍ରଥମ ତିନୋଟି ମ୍ୟାଚ୍ରେ ଶୁଭମନ ଗିଲ୍ ଭାରତୀୟ ଦଳର ନେତୃତ୍ୱ ନେବାକୁ ଥିବାବେଳେ ଶେଷ ଦୁଇଟି ମ୍ୟାଚ୍ରେ ଶ୍ରେୟସ ଆୟର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ନଭେମ୍ବର ୪ରେ ଅକଲାଣ୍ଡର ଇଡେନ୍ ପାର୍କରେ ପ୍ରଥମ ଦିନିକିଆ ଖେଳାଯିବ। ଏହାପରେ ନଭେମ୍ବର ୭ରେ ୱେଲିଂଟନ୍, ୧୦ରେ ହାମିଲଟନ୍ ଏବଂ ନଭେମ୍ବର ୧୩ ଓ ୧୫ରେ ମାଉଣ୍ଟ ମାଉଙ୍ଗାନୁଇର ବେ ଓଭାଲ୍ ଷ୍ଟାଡିୟମ୍ରେ ଅବଶିଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେବ।
ଏହି ସିରିଜ୍ର ଆଉ ଏକ ବିଶେଷ ଦିଗ ହେଉଛି ମ୍ୟାଚ୍ ଆରମ୍ଭ ସମୟ। ଭାରତୀୟ ସମୟ ଅନୁସାରେ ସମସ୍ତ ପାଞ୍ଚଟି ମ୍ୟାଚ୍ ସକାଳ ୭ଟା ୩୦ରୁ ଆରମ୍ଭ ହେବ। ମ୍ୟାଚ୍ ଆରମ୍ଭର ଅଧଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ୭ଟାରେ ଟସ୍ ହେବ। ତେଣୁ ରୋହିତ ଓ ବିରାଟଙ୍କ ଖେଳ ଦେଖିବା ପାଇଁ କ୍ରିକେଟ୍ ପ୍ରେମୀଙ୍କୁ ସକାଳୁ ଟିଭି ସାମ୍ନାରେ ବସିବାକୁ ପଡ଼ିବ।
ତେବେ ନ୍ୟୁଜିଲାଣ୍ଡ ମାଟିରେ ଟିମ୍ ଇଣ୍ଡିଆ କିପରି ପ୍ରଦର୍ଶନ କରିବ? ରୋହିତ ଓ ବିରାଟଙ୍କ ବ୍ୟାଟ୍ରୁ ଦେଖିବାକୁ ମିଳିବ କି ବଡ଼ ଇନିଂସ? ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ସିରିଜ୍ ଜିତିବାରେ ସଫଳ ହେବ କି? ଏସବୁ ଉପରେ ରହିବ କ୍ରିକେଟ୍ ପ୍ରେମୀଙ୍କ ନଜର।




