ପଶ୍ଚିମବଙ୍ଗରୁ ବାରିପଦା ଆସୁଥିଲା ବିପୁଳ ଗଞ୍ଜେଇ! KIA କାର୍‌ରୁ ୧୭୭.୫ କେଜି ଜବତ, ୩ ଗିରଫ

ମୟୂରଭଞ୍ଜ ଜିଲ୍ଲା- ବାରିପଦାରେ ବେଆଇନ ଗଞ୍ଜେଇ ଚାଲାଣ ବିରୋଧରେ ପୋଲିସକୁ ମିଳିଛି ବଡ଼ ସଫଳତା। ପଶ୍ଚିମବଙ୍ଗରୁ ବାରିପଦାକୁ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇକୁ ପୋଲିସ ଜବତ କରିଛି। ଲକ୍ଷ୍ମୀପୋଷି ହାଟ ନିକଟରେ ଭଞ୍ଜପୁର ଥାନା ଓ ଲକ୍ଷ୍ମୀପୋଷି ଫାଣ୍ଡି ପୋଲିସର ମିଳିତ ଚଢ଼ାଉ ବେଳେ ଏହି ଚାଲାଣର ପର୍ଦ୍ଦାଫାସ୍ ହୋଇଛି। ଏକ ଦାମୀ KIA SELTOS କାର୍‌ରୁ ମୋଟ ୧ କୁଇଣ୍ଟାଲ ୭୭ କେଜି ୫୦୦ ଗ୍ରାମ, ଅର୍ଥାତ୍ ୧୭୭.୫ କେଜି ଗଞ୍ଜେଇ ଜବତ କରାଯାଇଛି।

ଏହି ଘଟଣାରେ ମୋଟ ତିନିଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାର ଦୁଇଜଣ ଥିବାବେଳେ ପଶ୍ଚିମବଙ୍ଗର ଜଣେ ଅଭିଯୁକ୍ତ ସାମିଲ ଅଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇର ଓଜନ କରାଯାଇଥିବା ଜଣାପଡ଼ିଛି। ପୋଲିସ ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ କାର୍‌କୁ ମଧ୍ୟ ଜବତ କରିଛି।

ପ୍ରାଥମିକ ସୂଚନା ଅନୁସାରେ, ଏହି ଘଟଣାରେ ଆନ୍ତଃରାଜ୍ୟ ନିଶା ଚାଲାଣର ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ଗିରଫ ଅଭିଯୁକ୍ତମାନେ ଏହି ଚାଲାଣରେ କେଉଁ ଭୂମିକା ନିଭାଉଥିଲେ, ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କାହା ପାଖକୁ ଯିବାର ଯୋଜନା ଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଏହା ପଛରେ ଥିବା ମୁଖ୍ୟ କାର୍ପଟଦାର ଓ ନିଶା ଚାଲାଣ ନେଟୱର୍କର ସନ୍ଧାନରେ ମଧ୍ୟ ତଦନ୍ତ ଚାଲିଛି।

ତେବେ ଏତେ ବଡ଼ ପରିମାଣର ଗଞ୍ଜେଇ ଏକ ଦାମୀ କାର୍‌ରେ ଚାଲାଣ ହେଉଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଛି। ଧରାପଡ଼ିଥିବା ତିନିଜଣ କେବଳ ଚାଲାଣକାରୀ ନା ଏହା ପଛରେ ଆଉ ଏକ ବଡ଼ ନିଶା ସିଣ୍ଡିକେଟ୍ କାମ କରୁଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

ମୟୂରଭଞ୍ଜର ଯୁବସମାଜକୁ ନିଶା କବଳରୁ ଦୂରେଇ ରଖିବା ଏବଂ ବେଆଇନ ନିଶା କାରବାରକୁ ରୋକିବା ପାଇଁ କେବଳ ଚାଲାଣକାରୀଙ୍କ ଗିରଫଦାରୀ ନୁହେଁ, ବରଂ ଏହାର ମୂଳ ଉତ୍ସ ଓ ମୁଖ୍ୟ କାର୍ପଟଦାରଙ୍କ ପର୍ଯ୍ୟନ୍ତ ପହଞ୍ଚିବା ମଧ୍ୟ ଜରୁରୀ। ଏବେ ପୋଲିସର ତଦନ୍ତରୁ ଏହି ଆନ୍ତଃରାଜ୍ୟ ନିଶା ଚାଲାଣ ସମ୍ପର୍କରେ ଆଉ କେଉଁ ତଥ୍ୟ ସାମ୍ନାକୁ ଆସୁଛି, ତାହା ଉପରେ ସମସ୍ତଙ୍କ ନଜର।